19/08/2020
#ଗାଆଁ ରାସ୍ତା
ସ୍ମୃତି ଏକ ରୂପା ଜହ୍ନ -୧୪
ଅକ୍ଷୟ ଓଝା
ଗାଁର ଲମ୍ବି ଯାଇଥିବା ଅସରନ୍ତି ସଡ଼କ ଟା । ଆଜି ଚାଲିଲେ କାହିଁକି ଖୁସିରେ ଛାତି କୁଂଢେମୋଟ ହେଇ ଯାଏ । ସୁଲୁସୁଲିଆ ହାଲୁକା ଶୀତୁଆ ପବନ,ପବନରେ ଗଛଳତାର ଫୁଲ ଫଳର ସୁଗନ୍ଧ । ଧାନକଟା ସରିଯିବାର ଦୃଶ୍ୟ । ଫୁଙ୍ଗୁଳା ବିଲରେ ପୁଳାଏ ପୁଳାଏ ଗାଈ ଗୋଠ ।
ବଡବନ୍ଧ ବରଗଛ ତଳୁ ପିଲାଟିର ଲାଞ୍ଜଥିବା ଗୁଡି । ନିଛାଟିଆ ରାସ୍ତାରେ କେହି କେହି ପଥିକ । ବେଳେବେଳେ ସାଇକଲ ଟିଏ ତ ବେଳେବେଳେ ମୋଟର ସାଇକଲ । ଏଇ ଅସରନ୍ତି ରାସ୍ତାରେ ଗଡ଼ି ଚଳନ୍ତି ଗନ୍ତବ୍ୟ ରେ । ଏଇ ସଡ଼କ ରେ କେତେ ବିଦେଶିଆ, କଲିକତିଆ ରାତି ପାହନ୍ତା କଳସ ବସେଇ ବିଦେଶ ଯାଆନ୍ତି ଆଖିରେ ଆଖିଏ ଲୁହ ଭରି ।
ସୁଖରେ ପରିବାର ଚଳୁ, ଭଉଣୀ ବାହାଘର କୁ ପଇସା ଦି ପଇସା ଯୋଡ଼ି ବାପାର ବୋଝ ହାଲୁକା କରିବା ଇଛାରେ ଗାଆଁ ସୁଖକୁ ଜଳାଞ୍ଜଳି ଦେଇ ଦାଦନ ଖଟେ । ପର ଦେଶରେ ମନ ଉଣା କରେ । ଅପେକ୍ଷାରେ କରେ ଆଗ ଉତ୍ସବରେ ଗାଆଁକୁ ଫେରି ବାକୁ ଏଇ ରାସ୍ତାରେ । ଏଇ ମାଟିରେ ପାଦ ରଖିଲେ ଛାତି କୁଣ୍ଢେ ମୋଟ ହେଇଯାଏ ଯେମିତି ।
ଏଇ ରାସ୍ତା ଦେଇ ଗାଆଁ କୁଆଁରୀ କନିଆଁ ହେଇ ଶାଶୁ ଘର ଚାଲିଯାଏ ହାତେ ଓଢଣା ଟାଣି । ସବାରୀ ରେ ବସି ବୋଉକୁ ଝୁରେ । ଗାଁକୁ ଝୁରେ । ସାଙ୍ଗ ସାଥି ,ଘର, ଦାଣ୍ଡ ଅଗଣା ଚଉଁରା କୁ ଝୁରି କାନ୍ଦି କାନ୍ଦି ବିଦା ହେଇ ଯାଏ ଏଇ ରାସ୍ତାରେ ସବୁଦିନ ପାଇଁ । ବାପାଙ୍କୁ ମନେ ପକେଇ ବାହୁନି କାନ୍ଦେ । ଗଛ ଲତା କୁ ସାକ୍ଷୀ କରି କହି ଯାଏ ମୋତେ ପର କରିଦେଲ ବୋଲି ।
ଭାରି ବର୍ଷାରେ ସ୍କୁଲ୍ ଫେରନ୍ତ୍ତା କାଦୁଅ ପାଣିରେ ଗୋଡ ଚାପି ଚାପି ଚାଲିବାର ଚଗଲାମି , କାଗଜ ଫାଡ଼ି ଡଙ୍ଗାଟିଏ ଚୁବୁ ଚୁବୁ ପାଣିରେ ଭସେଇ ଦେବା ର ବାଲ୍ୟ ପାଗଳାମି ମନେ ପଡ଼ିଯାଏ । ସାଙ୍ଗ ମାନଙ୍କ ସହିତ ଟଣା ଘୋସରା ଠେଲା ପେଲା ଭାବି ବସିଲେ ମନ ଉଣା ହେଇଯାଏ । ବାଲି ରଚ ରଚ ଓଦା ମାଟିରେ କାଠି ଖଣ୍ଡେ ଧରି କଣ ଟିଏ ଲେଖିଦେବା କିମ୍ବା ଚିତ୍ର ଟିଏ ଆଙ୍କି ଦେବା ଖୁବ୍ ମନେ ଅଛି ଏହି ରାସ୍ତାରେ ।
ନୂଆକରି ସାଇକଲ ଶିଖିବା ପଡି ଉଠି ନିଜକୁ ସମ୍ଭାଳିବା ଏଇ ରାସ୍ତାରେ ଇତିହାସ ହେଇ ଯାଇଛି ଯେମିତି ସବୁଦିନେ ।
ଏଇ ରାସ୍ତାରୁ ଅବଲୋକନ କଲେ ମନେ ପଡେ ଏହି ସୁଖି ଆସୁଥିବା ରାସ୍ତା କଡର ଗଡ଼ିଆରେ ମିନ ଟିଏ । ଧଳା ବଗୁଲିର ନଇଁ ନଇଁ ମିନଟିଏ ଖୋଜୁଥିବା ମଫସଲ ଗାଁ ର ଚିରାଚରିତ ଦୃଶ୍ୟ ଜୀବନ୍ତ କରିଦିଏ ଫେରି ପଡିଲେ ଗାଁକୁ । କିଆ ବୁଦା ଆଡୁ ଡାହୁକ ର ଡାକ , ମୁଁହ ସଂଜରେ ହାଲୁକା ଡର, ଖରା ଦିନରେ ନିଛାଟିଆ ଏକୁଟିଆ ପାଦ ଚଲା ର ଜୀବନ୍ତ ଅନୁଭୂତି ମନ ଆନ୍ଦୋଳିତ କରିଦିଏ ଆଜି । ପୁଣି ଥରେ ଏଇ ରାସ୍ତାରେ ଚାଲିଲେ ।
ସକାଳୁ ସକାଳୁ ଖରାରେ ବସି ପଖାଳ ଖାଉଥିବା ପିଲାଟି , ପୁଣି ସ୍କୁଲ ଯିବା ପାଇଁ ତିଆରି ତର ତର ହେଇ ବାହାରି ପଡେ ଏଇ ରାସ୍ତାରେ ଚାଟଶାଳୀ ଆଡେ। ଏଇ ରାସ୍ତାରେ ସୁଭିଯାଏ ଫେରିବାଲାର ଡାକ , ଚାଦର ଢ଼ଙ୍କା ହରି ଦାଦା ଆଖି ଉପରେ ହାତ ରଖି କିଏ ବୋଲି ପଚାରି ଦେବାର ଆତ୍ମୀୟତା । ଗାଁ ମାଟିର ସତ୍ୟତାକୁ ଟାଣି ଆଣେ ପିଲାଦିନକୁ ମନେ ପକେଇ । ପଡିଆ ପ୍ରାନ୍ତର ବୃକ୍ଷ୍ୟରେ ଚୁପଚାପ ଚଢ଼େଇ ମାନଙ୍କର ଖେଳ ପଥିକକୁ ସୁଭି ଯାଏ କ୍ଷଣିକ । ବାଟୋଇ ଅନ୍ୟମନସ୍କ ହେଇଯାଏ ଘଡ଼ିଏ ।
ରାସ୍ତା କଡର ବରଡାଳରୁ ଡାଳ ଦେଇ ବୁଲିବା ,କାଉମାନେ କା କା କରି ଉଡ଼ିବୁଲୁଥିବା , କପୋତ ମାନଙ୍କର ଗୁମୁରି ଗୁମୁରି ଯେମିତି କେଉଁ ମହା କାବ୍ୟ ପଢ଼ିବାର ଶୈଳୀ ଯେମିତି ଜୀବନର ଆଉ ଏକ ରଙ୍ଗ କୁ ଉଜାଗର କରିଥାଏ । ଏଇ ସବୁ ପ୍ରକୃତିର ରଙ୍ଗରେ ଗାଁ ରଙ୍ଗେଇ ହେଇ ଥାଏ । ମନ ହୁଏ ଏଇଠି ଏଇମିତି ଜୀବନକୁ ଜେଇ ଯିବାକୁ ବାକି ସମୟ ପର୍ଯ୍ୟନ୍ତ ।।
ଏଇ ରାସ୍ତାରେ କେତେ ଲୋକେ ଶେଷ ଯାତ୍ରାରେ ଚାଲି ଯାନ୍ତି । କିଏ ଖଇ କୋଉଡି ବିଞ୍ଚି ତ କିଏ ରାମ ନାମ ସତ୍ୟ ଧ୍ୱନୀ ରେ ଶ୍ମଶାନ ଆଡେ ଚାଲି ଯାନ୍ତି ନୀରବରେ । ମଶାଣି ଆଡେ । ଏଇ ମାଟି ସଡ଼କ ରେ ଚାଲୁଥିବା ମଣିଷ । କେତେ ମାଟି ଖାଇ ଗଲାଣି କେତେ ଆସିଲେଣି ସବୁ ର ମୁକ ସାକ୍ଷୀ ଏଇ ସଡ଼କ ।
ସଡ଼କ ଓ ଶିକ୍ଷକ ସମସ୍ତକୁ ପହଞ୍ଚାଇ ଦିଅନ୍ତି ସେମାନଙ୍କ ଗନ୍ତବ୍ୟ ରେ କିନ୍ତୁ ସେମାନେ ସେଇଠି ସବୁଦିନ ସେତିକି ହେଇ ପଡି ରହି ଥାଆନ୍ତି ଅନନ୍ତ କାଳ ପର୍ଯ୍ୟନ୍ତ ।
885113417
@ଅକ୍ଷୟ